Unknown

କଳାହାଣ୍ତିଆ ମେଘ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

କଳାହାଣ୍ତିଆ ମେଘ

( ୧ )

ଅଇଲାଣି ମେଘ             କଳାହାଣ୍ତିଆ ଲୋ

ବରଷି ଦେଲାଣି ପାଣି

ସାରୁପତ୍ର ଛାତା             ଧରି ବସିଲେ ଲୋ

ବେଙ୍ଗ ସଙ୍ଗେ ବେଙ୍ଗରାଣୀ

 

କଟର କଟର             କଟର ‘କେଁ’ ଲୋ

ରଡ଼ି ଦେଲା ବେଙ୍ଗରାଣୀ

ଶୁଣି ତା ହୁକୁମ             ଓ୍ୱାରଣ୍ଟ ଯାରି ଲୋ

ଅଜାଡ଼ିଲା ମେଘ ପାଣି

 

ପୂରୁବ ପଶ୍ଚିମ             ଉତ୍ତର ଦକ୍ଷିଣ

ଚାରିଆଡ଼ରୁ ବାଦଲ

ଘୋଟାଇ ଦେଲାଣି             ରବି ଛବିକି ଲୋ

ଦିଶୁଅଛି କେଡ଼େ ନାଲ

 

ସରଗ ରାଇଜେ             ଲାଗିଛି ଯୁଦ୍ଧ ଲୋ

ଆସ କେ ଦେଖିବ ପରା

ହାତୀ ଘୋଡ଼ା ସେନା      ଧାଡ଼ିକି ଧାଡ଼ି ଲୋ

ଦିଶୁଅଛି କେଡ଼େ ତୋରା

 

ଦଇବ ବିନ୍ଧାଣୀ             ଧରିଛି ତୁଳି ଲୋ

କରୁଛି ଦେହ ଚିତର

ଆଉ କେ ହୋଇବ             ସରି ‘ତା’ ସଙ୍ଗେ ଲୋ

ଏ ତିନି ପୁର ଭିତର

 

ସକାଳୁଆ ରବି             ଉଇଁ ଆସିଲା ଲୋ

ଗରବେ ମଣ୍ତି ବଦନ

ଢ଼ାଙ୍କି ଦେଲା ତାକୁ             କାଳିଆ ମେଘ ଲୋ

ଢ଼ାଙ୍ଗି ଦେଲା ଅଭିମାନ

 

ସକାଳୁଆ ମେଘ             ଦେଖି ଡ଼ାହୁକ ଲୋ

ରଡ଼ିଦେଲା ଘନ ଘନ

ଚଷା ପୁଅ ମନ             ସମ୍ଭାଳେ କେତେ ଲୋ

ଚିତ୍ତ ହେଲା ଛନ ଛନ

 

ଡାହାଣେ କଶରା             ବାମେ କାଳିଆ ଲୋ

ଯଚି ଦେଇ ସରାଗରେ

ଝାମ୍ପିଟି ମୁଣ୍ତାଇ             ବାହାର ହେଲା ଲୋ

ବେଗେ ଟାକରା, ନାଦରେ

 

ଝିରି ଝିରି ଝିରି             ଝରୁଛି ଜଳ ଲୋ

ବିଲ ପାଟ ହିଡ଼ ତଳୁଁ

ଶିରି ଶିରି ଶିରି             ବାଆ ବହଇ ଲୋ

ବେଙ୍ଗ ଡ଼ାକେ ଝିଲ ଜଳୁଁ

 

ବୁଢ଼ୀମାଆ ମୋର             ଶୀତେ ଥରୁଛି ଲୋ

ଭାଇ ମୋର ଗଲା ଧାଇଁ

ଖନାଇଁ ଖନାଇଁ             କହିଲା ମାଆ ଲୋ

‘‘ଗୀତ ଗାଇବୁ କି ନାହିଁ ? ’’ ୧୦

 

‘‘ଆଇଲାନି ମେଘ            କଳାହାଣ୍ତିଆ ଲୋ

ବଲଥି ଦେଲାନି ପାନି

ଚାଉଲ ଭଜାଲେ             ମନ ମାଆଲ ଲୋ

ଆନିଦବ ବେଙ୍ଗ ରାନୀ ’’୧୧

 

ଠୋ’ ଠୋ’ ଠୋ’             ଉଠିଲା ହସ ଲୋ

ହସି ଦେଲା ଭାଇ ମୋର

କୁସୁମ କୋମଳ             ତନୁଟି ତାର ଲୋ

ଲୋଟିଗଲା ଭୂମିତଳ ୧୨

 

( ୨ )

ଅଇଲାଣି ମେଘ            କଳାହାଣ୍ତିଆ ଲୋ

ବରଷି ଦେଲାଣି ପାଣି

କେତେ ହୀରାଫୁଲ             ଦେଇ ସରଗ ଲୋ

ପୂଜୁଅଛି ବେଙ୍ଗରାଣୀ

 

ବେଙ୍ଗ ଜାରୀ ଶୁଣି             ମେଘ ଥରିଲାଣି
ହୋଇଲାଣି କମ୍ପଜ୍ୱର

ଗରଜି ଘୁମୁରି             ହେଉଛି ମେଘ ଲୋ

ଶୁଭୁଅଛି ଘଡ଼ଘଡ଼

 

ସନ୍ନିପାତ ଧରି             ମୁଣ୍ତରୁ ତାର ଲୋ

ବହୁଅଛି କେତେ ଜଳ

ତେବେକେ ଧମକ             ଦେଉଛି ବେଙ୍ଗ ଲୋ

ଲାଗୁ ନାହିଁ କି ବିକଳ ?

 

ଅତି ରାଗେ ପୁଣି             ମଥା ଉପରେ ଲୋ

ଉଠିଲା ରବି ଏ କାଳେ

ଘଡ଼ିଏ ପହଡ଼େ             ଚାହିଁଛି କି ନାହିଁ

ଆଖି ବୁଜିଦେଲା ଖରେ

 

ମେଘ ରୂପ ଦେଖି             ଲାଗିଲା ଡର ଲୋ

ଶୋଷିଲା ସମୁଦ୍ର ପାଣି

ପୁଣି କୋଳେ ତାର       ଆଶରା ନେଲା ଲୋ

ବେଳ କାଳ ପରିମାଣି

 

ଘରକୁ ଫେରିଲା             ଚଷା ବାପୁଡ଼ା ଲୋ

ମୁଣ୍ତରୁ ବହୁଛି ଝାଳ

ଘରେ ନାହିଁ ଦାନା            ବଇରି ତାର ଲୋ

ହୋଇଛି ବରଷା କାଳ

 

ଆଠ ଦୁମୁକାଣି             ଷୋଳ ଅସରା ଲୋ

ମେଘତ ବରଷିଲାଣି

ଆଉ କେତେ ଶତେ       ପେଟରେ ତାର ଲୋ

ରଖିଛି ସମୁଦ୍ର ପାଣି ?

 

ବନଗିରି ଶୋଭା             କି ମନ ଲୋଭା ଲୋ

ସୁକୁମାରୀ ନବଲତା

ପଡ଼ି ଉଠି କେଡ଼େ             ଶୋଭା ପାଉଛି ଲୋ

ଉଠାଇ ପକାଇ ମଥା

 

ଥପ ଥପ କରି             ପଡ଼ୁଛି ବିନ୍ଦୁ ଲୋ

ମୁକୁତା ଶୋଭାକୁ ଧରି

ଧରଣୀ ଗରଭେ             ଖଣି ଖୋଳି ମେଘ

ଦେଉଅଛି ତହିଁ ଭରି

 

ଶବର ଦମ୍ପତି            ବନ କୁଟୀରେ ଲୋ
ଅଛନ୍ତି ମଉଜ ମାରି

ଶଢ଼େଇ ବାସନେ             ଭଜା ଚାଉଳ ଲୋ

ଦେଇଛନ୍ତି ପୂର୍ଣ୍ଣ କରି ୧୦

 

ପ୍ରଶ୍ନ କୁତୂହଳେ             ଶବର କାମିନୀ

ପଚାରଇ ପ୍ରାଣ ଧନେ

‘‘ରାଜା ପୁଅ କହ             କିସ କରୁଥିବେ

ଆଜି ଏ ବରଷା ଦିନେ ?’’ ୧୧

 

କଳପି କଳ୍ପନା             କହେ ଶବର ଲୋ

‘‘କିସ କରୁଥିବେ ଆଉ

କମଶଢ଼େଇରେ             ଚାଉଳ ଭଜାତ

ଖାଉଥିବେ ଦେଇ ମହୁ ’’ ୧୨

 

ଯେ ପକ୍ଷୀ ଉଡ଼ଇ             ଯେତେ ଦୂର ସିନା

ସେ ଜାଣେ ତାର ବେଭାର

ଶବର କି ଜାଣେ             ଅଧିକା କଥା ଲୋ

ଖୁଦରେ ତା କାରବାର ୧୩

 

ଢ଼ୁମ୍ପା ବଜାଇଣ             ‘‘ଜାଇଫୁଲ’’ ଗୀତ

ଗାଇ ଦେଇ ସରାଗରେ

ବରଷା ମଉଜ             ମାରୁଛନ୍ତି ବସି

ବନବାସିଏ ଏ କାଳେ ୧୪

 

ସୁକୁମାର ଅଙ୍ଗ             ମୃଗ ଶିଶୁଟି ଲୋ

ମାରୁଅଛି ଡ଼ିଆଁ ଖରେ

ମୟୁର ମୟୁରୀ             ନୃତ୍ୟ ରଚିଲେ ଲୋ

ଆନନ୍ଦେ ଗିରି ବନରେ ୧୫

 

କେତେ ଚନ୍ଦ୍ର ସତେ             ଖେଳୁ ଅଛନ୍ତି ଲୋ

ଘନ କୃଷ୍ଣ ପୁଚ୍ଛେ ତାର

ସରଗରେ ସିନା             ଗୋଟିଏ ଚାନ୍ଦ ଲୋ

ଛିଞ୍ଚାଡ଼େ କିରଣ ଜାଳ ୧୬

 

ଚମକେ ଚପଳା             ଚଞ୍ଚଳା ବାଳା ଲୋ

କଳାହାଣ୍ତିଆ ମେଘରେ

ଚମକେ ତେସନ             ସୁବର୍ଣ୍ଣ ରେଖା ଲୋ

ମୟୁର ନୀଳ ପୁଚ୍ଛରେ ୧୭

 

ଚଷା ପୁଅ ଭାଇ             ବଣ କନ୍ଦିରେ ଲୋ

ଗାଇଦେଲା ପଦେ ଗୀତ

ଫେରିଲା ବେଳରେ       ଘରକୁ ସୁଖେ ଲୋ

ବନ ହୋଇଲା ଧ୍ୱନିତ ୧୮

 

‘‘ବରଷ ବରଷ             କଳାହାଣ୍ତିଆ ଲୋ

ବରଷ ବରଷ ପାଣି

ବେଙ୍ଗ ଡ଼ାକିଲାଣି             ଉତ୍ତରା ବହେ ଲୋ

ବିଲ ହେଲା ଆଣ୍ଠୁ ଆଣି ’’ ୧୯

 

( ୩ )

ଅଇଲାଣି ମେଘ             କଳାହାଣ୍ତିଆ ଲୋ

ବରଷି ଦେଲାଣି ପାଣି
ପଶ୍ଚିମ ଗଗନେ             ସିନ୍ଦୁରା ଫାଟେ ଲୋ

ବେଳତ ବୁଡ଼ିଗଲାଣି

 

ବିଭାଘର ହେଲା             ଦିବସ ରଜାର

ରଜନୀ ରାଣୀର ସଙ୍ଗେ

ପବନ ବାଏକ             କୁସୁମ ନର୍ତ୍ତକ

ଗାଇଲେ ଚଡ଼େଇ ରଙ୍ଗେ

 

ବିକଳେ କାନନ             ତେଜିଲା ପକ୍ଷୀ ଲୋ

ଧାଇଁଲା ଆବାସ ମୁଖେ

ଝଡ଼ି ବରଷାରେ             ଶାବଳ ଲାଗି ଲୋ

ଘେନିଣ ଆହାର ସୁଖେ

 

ଗୋଠ ଛଡ଼ା କାହିଁ             କୁଆ ଗୋଟିଏ ଲୋ

କାଆ କାଆ ରାବ କରି

ଅନାଇଁ ଧାମଇଁ             ଏ ଦିଗେ ସେ ଦିଗେ

ସଙ୍ଗ ସୁମରି ସୁମରି

 

ପତର ଗହଳେ             ଗଛରେ କାହିଁ ଲୋ

ପକ୍ଷୀଟିଏ ଅଛି ବସି

ଝାଡ଼ି ଝୁଡ଼ି କେବେ             ଦିଏ ଡ଼େଣାକୁ ଲୋ

ଜଳବିନ୍ଦୁ ପଡ଼େ ଖସି

 

ଆଖି ମେଲାଇଲା             ଫୁଲ ଗୋଟିଏ ଲୋ

ପ୍ରଫୁଲ୍ଲ ଚାରୁ ଅଧରୀ

ଅତି ଯତନରେ             ବୃନ୍ତ ଦୋଳାରେ ଲୋ

ମୁକୁତା ବିନ୍ଦୁଏ ଧରି

 

ଘନନୀଳ କେଶେ             ପରବତର ଲୋ

ଚରିଲା ବାଦଲ ଦଳ

ଶୁଭ ଜଳଧାରା             ବହି ଆସଇ ଲୋ

ଓଲାଇ ଲତା ଉହାଡ଼

 

ନୀଳ କଣ୍ଠଙ୍କର             ନୀଳକେଶେ ଶତେ

ରମନ୍ତି ଗଙ୍ଗା ସୁଜଳା

ତଥା ଖେଳୁଅଛି             ପରବତ ଚୂଡ଼େ

ନିର୍ଝରପନ୍ତି-ନିର୍ମ୍ମଳା

 

କୁସୁମ କାମନୀ             କାମିନୀ କାହିଁ ଲୋ

ଗରବେ ହୋଇ ମଗରା

ଜଳ ଦରପଣେ             ଦେଖୁଛି ମୁଖ ଲୋ

ରସାଇ କାନନ ସାରା

 

ସୋହାଗରେ କେବେ             ଚୁମ୍ବି ଦିଅଇ ଲୋ

ନିର୍ମ୍ମଳ ନିର୍ଝର ମୁଖେ

ଝର ଝରେ ଝରି             ଝଙ୍କାରେ ଝର ଲୋ

ଝଙ୍କାରିତ ବନ ସୁଖେ ୧୦

 

ଫେରିଲେ ଏକାଳେ       ଗୋଠରୁ ଗୋରୁ ଲୋ

କରି ହମ୍ବା ହମ୍ବା ସ୍ୱର

କାହିଁ ଛୁଆପଛେ             ଧାଏଁ କେ ଗାଈ ଲୋ

ଦେହୁଁ ପଡ଼େ ଜଳଧାର ୧୧

 

ମୋ କଳାମାଣିକ             ଗୀତ ରସିକ ଲୋ

ଦାଣ୍ତ ପହଣ୍ତରେ ଥାଇ

ଦେଖି ଗୋରୁପଲ             ଗୋଠ ବାହୁଡ଼ା ଲୋ

ଗାଏ ଖନାଇଁ ଖନାଇଁ ୧୨

 

‘‘ଆଇଲାନି ମେଘ             କଲାହାନ୍ଦିଆ ଲୋ

ବୁଦି ଆସିଲାନି ବେଲ

ଗୋଥଲୁ ଫେଲିଲା             ଗଉଦ ତୋକା ଲୋ

ଘେନି ଆମ ଗୋଲୁ ପଲ’’ ୧୩

 

 

( ୪)

ବରଷିଲା ମେଘ             କଳାହାଣ୍ତିଆ ଲୋ

ଅଜାଡ଼ି ଦେଲାଣି ପାଣି

ସଞ୍ଜୁଆ ଅନ୍ଧାରେ             ଦୂର ପରବତ

ମୁଖ ଲୁଚାଇ ଦେଲାଣି

 

ଅନ୍ଧାର ଭୁବନ             ଅନ୍ଧାର ବନ ଲୋ

ଅନ୍ଧାର କ୍ଷେତ ଗଗନ

ଚଷା ପୁଅଟିଏ             ଚାଷ କାମ ସାରି

ଘରକୁ ଫେରେ ବହନ

 

‘‘ରଗଡ଼ିଆ ଭାଇ             ଅନା ମେଘକୁ ରେ

ଘୋଟାଇ ଦେଲାଣି ପରା

ଚହଟ ମେଘରେ             ଦିଶୁନାହିଁତ ରେ

ଚକମକି ସଞ୍ଜତରା’’ -

 

ବୋଲି ଗାଇଦେଲା       ଗୀତରୁ ପଦେ ଲୋ

ଚଷା ପୁଅ ସରାଗରେ

‘‘ଡ଼ିଡ଼ିହ କାଳିଆ             ଉଠ ମୋ ବାପା ଲୋ’’

କହି ଟାକରା ନାଦରେ

 

ଏକା ବାମାକଣ୍ଠୁଁ            ସ୍ପୁରେ ସଙ୍ଗୀତ ଲୋ

ମଧୁର ସ୍ୱନେ ଏ କାଳେ

ବସାଇ କୋଳରେ             ଶିଶୁ ସନ୍ତାନେ ଲୋ

ଆହା ! ପଞ୍ଚମ ତାନରେ

 

‘‘ଝୁଲ ବାୟା ମୋର             ଟପର ଟପର

କଳାମେଘ ବରଷିଲା

ସଞ୍ଜୁଆ ବାଆତ             ବହିଲା ଧନ ରେ

ତୋତେତ ନିଦ ନୋହିଲା ’’ ୬

 

‘‘ବାରି ପଛଆଡ଼େ            ରାବୁଛି ପେଚା ଲୋ

ଉଡ଼ିଲାଣି ଜୁଳୁଜୁଳା

ଶୋଇ ପଡ଼ିବ ମୋ             ଗଣ୍ଠି ଶଙ୍ଖାଳୀ ଲୋ

ଦୂରେ ପଳା ଦୂରେ ପଳା ’’

 

‘‘ଦିନେ ସୁକୁମାରୀ             ଜନକ ତନୁଜା

ବାଲମୀକ ତପୋବନେ

ଧରି ଲବ କୁଶ             କାନ୍ଦନ୍ତି ବିକଳେ

ସୁମରି ରାମ ରାଜନେ ’’ ୮

 

‘‘ଘୋର ବରଷାରେ       ନ ଦିଶେ ପଥ ଲୋ

ନାହିଁ ଆଲୁଅ ପାଶରେ

କଅଁଳ ପତର       ଶେଯାଇ ଶୋଇ ଲୋ

କାନ୍ଦନ୍ତି ମନ ବିକଳେ ’’ ୯

 

‘‘ଖଚୁଆ କଥାରେ             ଭୁଲି ମୋ ପତି ଲୋ

ବୃଥା ଏ ଦଣ୍ତ ବିହିଲେ

ସତେ କି ଦୁଃଖିନୀ             ପାଇବ ତାଙ୍କୁ ଲୋ

କେ ଜାଣି ଏ ଜୀବ ଥିଲେ ’’ ୧୦

 

ଏ ସମୟେ ଆହା              ଦରୋଟି କଣ୍ଠୁଁ ଲୋ

ବାହାରି ପଡ଼ିଲା ଗୀତ

ଶୁଣି ଚୁମ୍ବ ଦେଲା            ବାମା ତା ମୁଖେ ଲୋ

ହୋଇ ପ୍ରେମ ଉଲ୍ଲସିତ ’’ ୧୧

 

‘‘ନୂଆ ବୋଉ ମୋଲ             ଅତି ଛୁକୁମାଲୀ

ରାନ୍ଧି ନ ଜାନଇ ଭାତ

ମାଆ ବୁଢ଼ୀ ଦେଲା             ଓଦା କାଥ ତାକୁ

କୋଲ ମାଲିନେଲା ହାତ ’’ ୧୨

 

( ୫)

ଆଇଲାଣି ମେଘ             କଳାହାଣ୍ତିଆ ଲୋ

ବରଷି ଦେଲାଣି ପାଣି

ଆଉ କେତେବେଳେ             ଛାଡ଼ିବୁ ମେଘ ରେ

ଦ୍ୱିଘଡ଼ି ରାତି ହେଲାଣି

 

ପହଣ୍ତ ଆଦରି             ବସିଲେ ଥୋକେ ଲୋ

ଡ଼ରି ଘୋର ବରଷାକୁ

କାହିଁ କେ ଗାଇଲା             ରାମ ବନବାସ-

ବେଳ ବରଷା ଗୀତକୁ

 

କାହିଁ ଅବା ପଶା             ଗଞ୍ଜପା ମାଡ଼ ଲୋ
ଉଡ଼ୁଛି ନାହିଁ କଳନା

କା’’ର କଚେବାର             ଷୋଳ ସତର ଲୋ

ଡ଼ାକରେ କା ବୁଦ୍ଧି ବଣା

 

ପଣ୍ତାଏ ଜମିଲେ       ଭାଗବତ ଘରେ

ଖୋଲି ବସିଲେଣି ପୋଥି

ଗଞ୍ଜାଇ ଦୋକାନ             ଗଞ୍ଜା କଲିତକ

ହୋଇଯିବ ଆଜି ଲୁଟି

 

ଉଖୁଡ଼ା ପୋଷକୁ             ନଡ଼ିଆ ଖଣ୍ତେ ଲୋ

ଏହାର ଏଡ଼େ ପ୍ରାକ୍ରମ

ଉଠି ଆସିବେଟି             ହେଲେ ସହଚର

ଏଣେ ଟାଣୁଥିଲେ ଯମ

 

ରୁଦ୍ଧଶ୍ୱାସେ କେହୁ             ଧରଇ ପାଳି ଲୋ

ପଡ଼ିଗଲେ ଗୀତ କାନେ

ଗଞ୍ଜାଇଆ ବୁଢ଼ା             ଖୁଁ, ଖୁଁ, କାସ ଲୋ

ତହିଁକି ମଉଜ ଟାଣେ

 

ଚାରି ବ୍ରାହ୍ମଣର             କଜିଆ କାହିଁ ଲୋ

ଲାଗିଅଛି ବର୍ଷାକାଳେ

କେଉଁ ମଉଜଟା             ସାର ବାଛିବାକୁ

ବିତି ଗଲାଣି ପହଡ଼େ

 

‘‘ଗରମ ମୁଢ଼ିକୁ             ନଡ଼ିଆ ପାତି ଲୋ

ଗୁଡ଼ ଯେବେ ଗଲା ଜଡ଼ି

କି କହିବି ଆଉ             ଭାଇନା ସେ କଥା

ଭାବ ତେବେ ଯିବ ଗଡ଼ି’’

 

ଏ ସିଦ୍ଧାନ୍ତେ ପୁଣି             କେହୁ ଦେଲା ମତ୍ତ

କିଏ ବା ନାହିଁ ଭରିଲା

ବୃଥାରେ ଲାଗିଲେ             ପଣ୍ତାଏ ତହୁଁ ଲୋ

‘‘କିପରି ଏହା ନୋହିଲା ?’’

 

ମିଛେ କାଳ ଗଲା             ଏ ପୁରାଣ ଖଣ୍ତେ

ଭଲ ମନ୍ଦ କେ ପଚାରେ

ରାତି ପହରକୁ             ବଳିଲାଣି ଏବେ

ରଡ଼ିଲେ ବିଲୁଆ ଦଳେ ୧୦

 

ଶୋଇଲେ ସଭିଏଁ             ଯେ ଯାହା ଘରେ ଲୋ

ରାତି ଯିବ ଆସି ପାହି

କେଡ଼େ ଯିଦିଖୋର             ବରଷା ତୁହି ରେ

ତୋତେ ଜମା ନିଦ ନାହିଁ ୧୧

 

ଉଠାଇଲା ମେଘ             ବରଷିଲା ପାଣି

ପୁଣିତ କେଣେ ଛପିଲା

ପୁଣି ଉଠାଇଲା             ଆଉ ଖଣ୍ତେ ମେଘ

ସ୍ତରକୁ ସ୍ତର ଚାଲିଲା ୧୨

 

ବରଷ ବରଷ             କାଳିଆ ମେଘ ରେ

ବେଙ୍ଗ ଦେଲା ହୁଳ ହୁଳି

ଘେନି ତୋ ସଙ୍ଗିନୀ       ଚପଳା ରଙ୍ଗିନୀ

ଘଡ଼ିଘଡ଼ି ସଙ୍ଗେ ଝୁଲି ୧୩

 

ଆହା କି ଗମ୍ଭୀର             ଗଭୀର ନିଶା ଲୋ

ତା ସଙ୍ଗେ ବରଷା ପାଣି

ସେ ସ୍ୱର ଲହରୀ             ମନେ ପଡ଼ିଲେ ଲୋ

ହୃଦୟ ହୁଅଇ ହାଣି ୧୪

 

ଝର ଝର ଝର             ଝରଣା ସ୍ୱର ଲୋ

ତାଳ ତାର ବେଙ୍ଗ ନାଦ

ସରଗ ରାଗିଣୀ             ମେଲାଇ ଛନ୍ତି ଲୋ

ହେଉଛି କାନ ସ୍ତବଧ ୧୫

 

ଉଠିଲା ଫୁଲିଆ             ଛାଡ଼ିଲା ମେଘ ଲୋ

ରାତି ହେଲା ପାହାନ୍ତିଆ

ପୂରୁବ ଗଗନେ             ଉଠିଲେ ରବି ଲୋ

ଦିଶିଲା ଦିଗ ନାଲିଆ ୧୬

 

ବନ୍ଦାଇଲା ଯହୁଁ             ଉଷା ସୁନ୍ଦରୀ ଲୋ

ରବି ଦୀପ ଧରି କରେ

ଡ଼ାକିଲା ବନ୍ଦନୀ             ପକ୍ଷୀଟି ଆକୁଳେ

ମେଘ ଛାଡ଼ିଗଲା ଖରେ ୧୭

 

ଉଠିଲାଣି ପୁଣି             କଳାହାଣ୍ତିଆ ଲୋ

ଅଜାଡ଼ିଲା ବେଗେ ପାଣି

ଯାଉଥା ଆସୁଥା             ଅମାନିଆଁ ତୁ ରେ

ଆଉ ନ ପାରିବି ଗଣି ୧୮

 

ବରଷ ବରଷ             କଳାହାଣ୍ତିଆ ରେ

ବରଷ ପୋଖରୀ ବିଲେ

ଆଉ ବେଙ୍ଗ ରାଣୀ              କଥା ନ ମାନ ରେ

ନ ଶୁଣ ଆଉ ରଡ଼ିଲେ ୧୯

 

ରାଇଜର ସୁଖ             ମନାସ ମେଘ ରେ

ଅଜାଡ଼ି ଦେ ସୁଖେ ପାଣି

ବରଷକ ଦୁଃଖ             ଫେଡ଼ ତୁ ମେଘ ରେ

ବଞ୍ଚାଅ ଜଗତ ପ୍ରାଣୀ ୨୦

 

ଉଠାଅ ତୁ ମେଘ             କଳାହାଣ୍ତିଆ ରେ

ବରଷ ବରଷ ପାଣି

ସାରୁପତ୍ର ଛତା             ଧରି ବସିଲେ ଲୋ

ବେଙ୍ଗ ସଙ୍ଗେ ବେଙ୍ଗରାଣୀ ୨୧

 

ସମାପ୍ତ